ଅଗ୍ରପୂଜ୍ୟ ଗଣେଶ

 

                    ଦିନେ କୈଳାସ ପର୍ବତରେ ଦେବ ଦେବ ମହାଦେବ ବସି ଥାଆନ୍ତି । ତାଙ୍କ ପାଖରେ ଥିଲେ ମାତା ପାର୍ବତୀ । ଏମତି ସମୟରେ ତାଙ୍କର ଦୁଇ ପୁତ୍ର ଗଣେଶ ଏବଂ କାର୍ତ୍ତିକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପିତାମାତାଙ୍କ ଗହଣରେ ଦୁଇପୁତ୍ର ମହା ଆନନ୍ଦରେ ସମୟ ଅତିବାହିତ କରି ଚାଲିଥିବା ସମୟରେ ମହାଦେବ ତାଙ୍କର ଦୁଇପୁତ୍ରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ତାହା ଜାଣିବା ପାଇଁ ଗୋଟିଏ ପରୀକ୍ଷା କରିବା ଲାଗି ଚିନ୍ତା କରୁଥିବା ସମୟରେ ମୁନିଶ୍ରେଷ୍ଠ ନାରଦ ରାସ୍ତାରେ ଯାଉ ଯାଉ ମାତାପିତାଙ୍କୁ ଏକତ୍ର ବସି ଥିବାର ଦେଖି ଆସି ସେଠାରେ ଉପସ୍ଥିତ ହେଲେ ।

                     ନାରଦଙ୍କୁ ମାତା ପାର୍ବତୀ ପଚାରିଲେ, “ଆଜି କେଉଁ ଆଡକୁ ଯାତ୍ରା ଆରମ୍ଭ କରିଛ ନାରଦ?’ ତହୁଁ ନାରଦ କହିଲେ, ‘ମାତା ମୁଁ ତ ଏମିତି ସବୁଦିନ ସବୁଆଡେ ଘୂରି ବୁଲୁଛି । ସେଥିରେ ପୁଣି ମୋର ଯାତ୍ରା ଆଉ କଅଣ ହେବ?’ ତେବେ ମାତାପିତା ଗୋଟିଏ ସ୍ଥାନରେ ଉପସ୍ଥିତ ଥିବା ଦେଖି ଆପଣଙ୍କର କରୁଣା ଟିକିଏ ପାଇବା ପାଇଁ ମୁଁ ଚାଲି ଆସିଲି ।

                    ତହୁଁ ଦେବ ଦେବ ମହାଦେବ କହିଲେ, ‘ତଥାପି ତୁମ ଯାତ୍ରାରେ କୌଣସି ଉଦ୍ଧେଶ୍ୟ ଅଛି ନିଶ୍ଚୟ ।ନାରଦ କହିଲେ, ‘ନାଁ ପିତା ! ମୋର କୌଣସି ଉଦେଶ୍ୟ ନେଇ ଏ ଯାତ୍ରା ନୁହେଁ । ତେବେ ଆପଣ ଯଦି ଅନୁମତି ଦିଅନ୍ତି, ‘ତେବେ ମୁଁ ଗୋଟାଏ ବିଷୟରେ ମୋର ଅବଗତି ନିମନ୍ତେ ପଚାରନ୍ତି ।ଏକଥା ଶୁଣି ମହାଦେବ କହିଲେ, ‘ମୁଁ ଜାଣିଛି ! ତଥାପି କଅଣ ପଚାରିବ ତୁମେ ପଚାରୁ ନାହଁ?’ ନାରଦ କହିଲେ, ‘ପିତା ! ଆପଣ ତ ସବୁ କିଛି ଜାଣନ୍ତି, ତେବେ ଆପଣଙ୍କର ଏଇ ଦୁଇ ପୁତ୍ରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ? ଏହା ହିଁ ମୁଁ ଜାଣି ପାରିଲି ନାହିଁ । ତେଣୁ

                     ମହାଦେବ ଏଥର ବୁଝିଲେ ଯେ, ସେ ଯେଉଁ ବିଷୟରେ ଚିନ୍ତା କରୁଥିଲେ, ତାହା ହିଁ ନାରଦଙ୍କ ମନର ପ୍ରଶ୍ନ । ତେଣୁ ସେ କହିଲେ, ନାରଦ ତୁମେ ଯେତେବେଳେ ଏ ପ୍ରଶ୍ନ ଉଠାଇଲ, ସେ ପ୍ରଶ୍ନର ଉତ୍ତର ବର୍ତ୍ତମାନ ଖୋଜି ନେଲେ ଆଉ କୌଣସି ଅସୁବିଧା ରହିବ ନାହିଁ । ନାରଦ କହିଲେ, ‘ପିତା ! ତାର ସମାଧାନ ବର୍ତ୍ତମାନ ହୋଇଗଲେ ଆହୁରି ଭଲ ହେବ । ଏହି ଆଲୋଚନା ପରେ ମହାଦେବ ତାଙ୍କର ଦୁଇ ପୁଅଙ୍କୁ କହିଲେ, ‘ଦେଖ ପୁତ୍ରମାନେ, ତୁମ ଦୁହିଁଙ୍କ ମଧ୍ୟରୁ ଯିଏ ପ୍ରଥମେ ଏ ବିଶ୍ୱବ୍ରହ୍ମାଣ୍ଡକୁ ବୁଲି ଆସି ପାରିବ, ସେ ହିଁ ଶ୍ରେଷ୍ଠ ବିବେଚିତ ହେବ ।

                    ଏହି କଥା ଶୁଣି କାର୍ତ୍ତିକେୟ ଖୁବ୍ ଖୁସି ହୋଇଗଲେ । କାରଣ ତାଙ୍କର ବାହନ ମୟୂର । ତେଣୁ ସେ ଖୁବ୍ କମ୍ ସମୟ ମଧ୍ୟରେ ଏହି କାର୍ଯ୍ୟର ପରିସମାପ୍ତି ଘଟାଇବେ ବୋଲି ଚିନ୍ତା କଲେ । କିନ୍ତୁ ଏଣେ ବିଶେଷ ଚିନ୍ତାରେ ପଡିଲେ ଗଣେଶ । କାରଣ ମୂଷିକ ହେଉଛି ତାଙ୍କର ବାହନ । ତଥାପି ବି ପରୀକ୍ଷାର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ହେଲେ ।

                   ପରୀକ୍ଷା ଆରମ୍ଭ ହେଲା । କାର୍ତ୍ତିକେୟ ମୟୂର ପିଠିରେ ବସି ବିଶ୍ୱବ୍ରହ୍ମାଣ୍ଡ ବୁଲିବା ପାଇଁ ଚାଲିଗଲେ । ସେ ଜାଣିଲେ ଯେ, ଯଥାଶୀଘ୍ର ବୁଲି ଆସି ପିତାମାତାଙ୍କ ପାଖରେ ପହଁଚି ଯିବେ ସେ । ଆଉ ସେ ହିଁ ଶ୍ରେଷ୍ଠ ଦେବତା ରୂପେ ବିବେଚିତ ହେବେ । ମାତ୍ର ଗଣେଷଙ୍କ ପାଇଁ ତାହା ଥିଲା ଚରମ ପରୀକ୍ଷା । ତେଣୁ ସେ ମହା ଚିନ୍ତାରେ ପଡିଲେ । ହେଲେ ସେ ଖୁବ୍ ବୁଦ୍ଧିମାନ୍ । ଅତଏବ ସେ ସ୍ଥିର କରି ନେଲେ ଯେ, ଦୁନିଆରେ ନିଜର ପିତାମାତାଙ୍କ ଠାରୁ କେହି ବି ବଡ ନାହାଁନ୍ତି । ପୁଣି ସମଗ୍ର ବିଶ୍ୱବ୍ରହ୍ମାଣ୍ଡ କହିଲେ ପିତାମାତାଙ୍କ ପାଦତଳେ ଥିବା ସ୍ୱୟଂ ଧରିତ୍ରୀ । ତେଣୁ ସେ ନିଜର ପିତାମାତାଙ୍କ ଚାରି ପାଖରେ ତିନିଥର ବୁଲିଆସି ସେମାନଙ୍କୁ ପ୍ରଣାମ କରି ତାଙ୍କ ପାଖରେ ଆସି ବସିଗଲେ । ଏମିତି କିଛି ସମୟ ପରେ କାର୍ତ୍ତିକେୟ ଆସି ଦେଖନ୍ତି ପିତାମାତାଙ୍କ ପାଖରେ ପୂର୍ବବତ୍ ଗଶେଷ ବସିଛନ୍ତି । ତାହାପରେ ସେ ମଧ୍ୟ ଆସି ତାଙ୍କର ଯଥା ସ୍ଥାନରେ ବସିଲେ ।

                       ମାତା ପାର୍ବତୀ ଦେବ ଦେବ ମହାଦେବଙ୍କୁ କହିଲେ, ‘ଏବେ ତ ଆପଣଙ୍କ ପାଖରେ ଦୁଇ ପୁତ୍ର ଆସି ଉପସ୍ଥିତ । ତେବେ ଆପଣ ଶ୍ରେଷ୍ଠ କିଏ ଘୋଷଣା କରନ୍ତୁ ।ତହୁଁ ମହାଦେବ କହିଲେ, ‘ହଁ ପାର୍ବତୀ ! ତୁମେ ମଧ୍ୟ ଏଥିପାଇଁ ଖୁବ୍ ବ୍ୟଗ୍ର ହୋଇ ଉଠିଲଣି । ତେବେ ଆଜିର ପରୀକ୍ଷାରେ ଗଣେଶ ହିଁ ଶ୍ରେଷ୍ଠ ଦେବତା ରୂପେ ଗଣ୍ୟ ହେବେ । ସେ ହିଁ ଆଜି ଠାରୁ ଅଗ୍ର ଦେବତା ଭାବେ ଗୃହୀତ । କିନ୍ତୁ, ଏ କଥା ବୁଝି ନପାରି କାର୍ତ୍ତିକେୟ ଟିକିଏ ମାତାଙ୍କୁ ଅନେଇବାରୁ ପାର୍ବତୀ କହିଲେ, ‘ପ୍ରଭୁ ! ଆପଣଙ୍କ ସିଦ୍ଧାନ୍ତ ଗୃହୀତ ହେବା ପୂର୍ବରୁ ଆପଣ ଟିକିଏ ବୁଝାଇ ଦିଅନ୍ତୁ ।ଏହା ଶୁଣି ମହାଦେବ ନାରଦଙ୍କ ଆଡକୁ ଅନାଇବାରୁ ନାରଦ କହିଲେ, ‘ମାତା ! ଆଜିର ଏ ପରୀକ୍ଷାର ଘୋଷିତ ଫଳ ଯଥାର୍ଥ । କାରଣ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ତ ଆପଣମାନଙ୍କ ପାଦତଳେ ହିଁ ରହିଛି । ପ୍ରତ୍ୟେକ ପୁତ୍ରର ପିତାମାତା ହିଁ ଶ୍ରେଷ୍ଠ ଦେବତା ।

                        ଅତଏବ ଗଣେଶ ସେହି ଚିନ୍ତା କରି ପିତାମାତାଙ୍କ ଚାରି ପାଖରେ ବୁଲି ଆସି ନିଜ ବୁଦ୍ଧିମତାର ପରିଚୟ ଦେଇଛନ୍ତି । ତେଣୁ ବୁଦ୍ଧି ଯେଉଁଠି ବଳ ବି ସେଇଠି, ଏଇ ନୀତିରେ ଗଣେଶ ହିଁ ବିଜୟୀ । ଏହା କଅଣ ସତ ନୁହେଁ ଗଣେଶ? ସେ ଛିଡା ହୋଇ ନିଜର ସ୍ୱୀକୃତି ଜଣାଇ ଦେଲେ । ସେହି ଦିନଠାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ସେ ଗଣେଶ ଅଗ୍ରପୂଜ୍ୟ ଦେବତା ରୂପେ ପୂଜା ପାଇବାର ଯୋଗ୍ୟ ବିବେଚିତ ହେଲେ ।

                         ହିନ୍ଦୁ ଧର୍ମ ଅନୁସାରେ ଗଣେଶ ହେଉଛନ୍ତି ବିଦ୍ୟା ଏବଂ ବୁଦ୍ଧିର ଠାକୁର । ଗଣେଶଙ୍କୁ ପୂଜାକଲେ ଅନୁଗାମୀମାନଙ୍କୁ ବିଦ୍ୟା ଏବଂ ବୁଦ୍ଧି ମିଳେ । ଗଣେଶଙ୍କୁ ହିନ୍ଦୁ ଧର୍ମାମ୍ବଲମ୍ବୀ ଲୋକମାନେ ବିନା ପ୍ରଶ୍ନରେ ଉତ୍ତରାଧିକାରୀଙ୍କ ସ୍ୱୀକୃତି ଯୋଗୁ ଅନ୍ଧଭାବରେ ନିଜର ବିଦ୍ୟାର ଈଶ୍ୱର ଭାବରେ ପୂଜା କରିଆସୁଛନ୍ତି । ଆସ୍ତିକମାନେ କୁହନ୍ତି ଧର୍ମକୁ ଯୁକ୍ତିଦ୍ୱାରା ନଦେଖି ଅନ୍ଧ ଭାବରେ ନିଜ ଅନ୍ତରାତ୍ମା ରେ ଅନୁଭବ କର ତେବେ ଯାଇ ଈଶ୍ୱରଙ୍କ ଦର୍ଶନ କରିପାରିବ । ତେଣୁ ମନୁଷ୍ୟ ସମାଜରେ ବର୍ତ୍ତମାନ ଯୁଗରେ ଆମେ ଦୁଇଟି ଦୃଷ୍ଟି କୋଣ ଦେଇ ଦୁନିଆକୁ ଦେଖି ଆସୁଛୁ, ଗୋଟେ ହେଉଛି, ଅଯୌକ୍ତିକ ସଂଗଠିତ ଧାର୍ମିକ ଆସ୍ଥା ଦ୍ୱାରା ଯାହା ବିନା ପ୍ରମାଣ, ବିନା ତର୍କ, ବିନା ଅନୁସନ୍ଧାନ, ବିନା କାରଣ, ବିନା ଅବଲୋକନ, ବିନା ବିସ୍ଲେସଣ ଏବଂ ବିନାପ୍ରମାଣ ଦ୍ୱାରା ଅନ୍ଧ ଭାବରେ ବିସ୍ଵାଶ କରାଯାଏ ଏବଂ ଅନ୍ୟଟି କଠୋର ତାର୍କିକ ତଥା ବୈଜ୍ଞାନିକ ମାଧ୍ୟମ ଦ୍ୱାରା ଯାହା ତର୍କ, ଅନୁସନ୍ଧାନ, କାରଣ, ଅବଲୋକନ, ବିସ୍ଲେସଣ ଏବଂ ପ୍ରମାଣ ପରେ ବିସ୍ଵାଶ କରାଯାଏ ।

                     ଗଣେଶ ଶିବ ପାର୍ବତୀଙ୍କ ଶାରରୀକ ସମ୍ପର୍କରୁ ଜାତ ପୁଅ ନୁହେଁ । ଶିବ ପାର୍ବତୀ ପୌରାଣିକ କାହାଣୀର ଅନେକ ରୂପାନ୍ତରଣ ଅଛି କିନ୍ତୁ ସବୁ ରୂପାନ୍ତରିତ କାହାଣୀରେ ଗଣେଶଙ୍କୁ ଶିବ ପାର୍ବତୀଙ୍କର ସନ୍ତାନ ରୂପେ ମାନ୍ୟତା ଦିଆଯାଇଛି । ଅନେକ କାହାଣୀରେ ଗଣେଶଙ୍କ ଜନ୍ମ ଶିବ ପାର୍ବତୀଙ୍କ ସଂଭୋଗରୁ ନୁହେଁ ବୋଲି ବଳିଷ୍ଠ ପ୍ରମାଣ ଅଛି । ପାର୍ବତୀଙ୍କ ଦେହର ମଳିରୁ ଗଣେଶଙ୍କ ଜନ୍ମ ବୋଲି ଅନେକ ପୌରାଣିକ ରୂପାନ୍ତରିତ କାହାଣୀ ମତ ବ୍ୟକ୍ତ କରନ୍ତି । ତେଣୁ କହିବାକୁ ଗଲେ ଗଣେଶ ଶିବଙ୍କର ଜୈବିକ ପଦ୍ଧତିରେ ଜନ୍ମିତ ପୁତ୍ର ନୁହନ୍ତି ।

                       ଦେହର ମଳିରୁ ଜୈବିକ ପୁତ୍ର ଅସମ୍ଭବ ତେଣୁ ଗଣେଶ ଏକ କାଳ୍ପନିକ ଚରିତ୍ର । କାହାଣୀ ଅନୁସାରେ ପାର୍ବତୀ ଯେତେବେଳେ ନିଜ ଦେହ ମଳିରୁ ଏକ ପୁତ୍ର ସନ୍ତାନର ଆକୃତି କରି ଜୀବ ଦାନ ଦେଲେ ତାହା କ୍ଷଣିକରେ ଏକ ବାଳୁତ ରୂପଧାରୀ ମନୁଷ୍ୟରେ ପରିଣତ ହୋଇଗଲା, ସେତେବେଳେ ତାଙ୍କ ମୁଣ୍ଡ ହାତୀ ସଦୃଶ୍ୟ ନଥିଲା । ତାଙ୍କ ମୁଣ୍ଡ ଦେଖିବାକୁ ଠିକ୍ ମଣିଷ ପରି ଥିଲା । ଜନ୍ମ ହବାର କ୍ଷଣିକ ମଧ୍ୟରେ ସେ କଥା ହେବା ଏବଂ ସୁରକ୍ଷ୍ୟା ବିଦ୍ୟା ମଧ୍ୟ ଶିଖିଗଲେ ଯେତେବେଳେକି ଏକ ମାନବ ଶିଶୁକୁ ଏହା କିଛି ବର୍ଷ ଲାଗିଥାଏ । ପାର୍ବତୀ ନିଜେ ସ୍ନାନ କରୁଥିବା ସମୟରେ ଗଣେଶଙ୍କୁ ଦ୍ୱାରପାଳ ଭାବେ ଜଗିବାର ଦାଇତ୍ୱ ଦେଲେ ।

                     ଏହି ସମୟରେ ଶିବ ଯେବେ ଘରକୁ ଆସି ଗୃହପ୍ରବେଶ ପାଇଁ ଚେଷ୍ଟାକଲେ ସେଥିରେ ଗଣେଶ ବାଧା ଦେଲେ ।  ବାପା ପୁଅ ଦୁହେଁ ଦୁହିଁଙ୍କୁ ଚିହ୍ନି ନପାରି ଯୁଦ୍ଧ କଲେ । ଦୁଇ ଜଣ ଭଗବାନ ହୋଇ ମଧ୍ୟ କେହି କାହାକୁ ଚିହ୍ନି ନପାରିବା ଏକ ଆଶର୍ଯ୍ୟ ବିବୃତି । ତେବେ ଯାହା ହଉ ଯୁଦ୍ଧରେ ବାପା ଜିତିଲେ ଏବଂ ପୁଅର ମୁଣ୍ଡ ଦେହରୁ ଅଲଗା ହୋଇଗଲା । ପରେ ପାର୍ବତୀ ଏହା ଦେଖି ବହୁତ କାନ୍ଦିଲେ ଏବଂ ପୁଅକୁ ବଞ୍ଚାଇବା ପାଇଁ ଶିବଙ୍କୁ ଅଳି କଲେ ଏବଂ ଗଣେଶ ତାଙ୍କ ପୁଅ ବୋଲି ପରିଚୟ ଦେଲେ । ଶିବଙ୍କର ତ୍ରିଶୁଳରୁ ଛେଦିତ ମୁଣ୍ଡ କେବେ ଯୋଡି ହୁଏନା ତେଣୁ ସେ ଯୋଡି ପାରିବେନି ବୋଲି ନିଜର ଅସାମର୍ଥ୍ୟତାକୁ ଜଣାଇଲେ । 

                     ଏଠାରେ ଦ୍ରଷ୍ଟବ୍ୟଯେ ଶିବଙ୍କ ତ୍ରିଶୁଳ ଆଗରେ ନିଜେ ଶିବ ମଧ୍ୟ ଶକ୍ତି ହୀନ । ପରେ ବ୍ରହ୍ମାଙ୍କ ଉପାୟ ଅନୁସାରେ ଶିବ ତାଙ୍କ ଦୂତଙ୍କୁ ଉତ୍ତରଦିଗକୁ ମୁହଁ କରିଥିବା ଜୀବର ମୁଣ୍ଡ କାଟି ଆଣିବାକୁ ଆଦେଶ ଦେଲେ । ନିଜେ ଭଗବାନ ହୋଇ ନିଜ ପିଲା ପାଇଁ କିପରି ଅନ୍ୟ ଜୀବର ମୁଣ୍ଡ କଟାଇବାପାଇଁ ଆଦେଶ ଦେଲେ ଏହା ସାଧାରଣ ତର୍କର ବାହାରେ । ତେବେ ଦୂତ ମାନେ ଖୋଜି ଖୋଜି ଏକ ହାତୀ ପିଲାର ମୁଣ୍ଡକୁ କାଟି ଆଣି ଶିବଙ୍କୁ ଦେଲେ ଆଉ ଶିବ ତାକୁ ଗଣେଶଙ୍କ ଗଣ୍ଡିରେ ଯୋଡି ହାତୀ ମୁଣ୍ଡ ଥିବା ମାନବ ଶରୀରକୁ ଜୀବଦାନ ଦେଲେ; ସେବେଠୁ ଗଣେଶ ହାତୀ ମୁଣ୍ଡ ଧାରୀ ଭଗବାନ । ଏଠାରେ ବିଚାର ଯୋଗ୍ୟଯେ; ପାର୍ବତୀଙ୍କ ଦେହରେ ଏତେ ମଳିଥିଲା ଯେ ସେଥିରୁ ସେ ଏକ ବାଳୁତ ରୂପଧାରୀ ମୂର୍ତ୍ତୀ ତିଆରିକରି ତାକୁ ଜୀବଦାନ ଦେଇଦେଲେ; ଏହିପରି ମଳି ମଣିଷ କିଛି ସହ ବର୍ଷ ନଗାଧେଇଲେଭି ବାହାରିବା କଷ୍ଟ । ସେ ଯାହା ହେଉ ପିତା ଶିବ ଗଣେଶଙ୍କୁ ହତ୍ୟା କଲାପରେ ମଧ୍ୟ ଦୁଃଖର କିଛି କାରଣ ନଥିଲା, କାରଣ ପାର୍ବତୀ ଆଉଥରେ ନିଜ ମଳିରୁ ପୁନର୍ବାର ଗଣେଶ ତିଆରି କରି ପାରିଥାନ୍ତେ କିମ୍ବା ନିଜ ମଳିଦ୍ୱାରା ଏକ ଗଣେଶ ମସ୍ତକ ବନେଇ ଯୋଡି ଦେଇ ପାରିଥାନ୍ତେ କିନ୍ତୁ ସେତେବେଳେ ବୋଧେ ପାର୍ବତୀଙ୍କ ସହ ଅନ୍ୟ ପ୍ରମୁଖ ଦେବା ଦେବୀଙ୍କର ପାଖରେ ଉପସ୍ଥିତ ବୁଦ୍ଧି ନଥିଲା, କିମ୍ବା ଗଣେଶ ଚରିତ୍ର ସୃଷ୍ଟି କରିଥିବା ବ୍ୟକ୍ତି ବା ଗୋଷ୍ଠୀ ଏହା ବିଷୟରେ ଦୃଷ୍ଟି ଦେଇନଥିଲେ ।

                         ଏଠାରେ ସବୁ କିଛି କାଳ୍ପନିକ ହେଲେ ମଧ୍ୟ ବିଶେଷ ଜ୍ଞାନର ମଧ୍ୟ ଅଭାବ ଅଛି  । ତାହା ହେଉଛି ମୁଣ୍ଡ ହେଉଛି ଏକ ଜୀବର ପ୍ରକୃତ ପରିଚୟ ତାହାର ଗଣ୍ଡି ନୁହେଁ । ଯଦି ରାମ ଏବଂ ଦାମ ନାମ ଧାରୀ ମନୁଷ୍ୟ ଦ୍ଵୟଙ୍କ ମୁଣ୍ଡକାଟି ଶରୀର ବଦଳାଇ ଦିଆଯାଏ ଏବଂ ପରେ ଜୀବ ଦାନ ଦିଆଯାଏ ତେବେ ରାମକୁ ଡାକିଲେ ରାମ ଜବାବ ଦବ ଦାମ ନୁହେଁ । ତେଣୁ ଶରୀର ଯାହାର ହେଉନା କାହିଁକି ମୁଣ୍ଡରେ ହିଁ ଜୀବର ପ୍ରକୃତ ପରିଚୟ ଥାଏ । ଯେତେବେଳେ ଶିବ ଏକ ହାତୀ ମୁଣ୍ଡ ଗଣେଶଙ୍କ ଗଣ୍ଡିରେ ଯୋଡ଼ିଲେ ତେବେ ଏହା ଏକ ହାତୀର ହିଁ ପରିଚୟ ଦେବ ପୂର୍ବ ଗଣେଶର ନୁହଁ ।

                         ତେଣୁ ଆମେ ପୂଜା କରୁଥିବା ଗଣେଶ, ଗଣେଶ ନୁହଁ ଏକ ହାତୀ ଯାହାର ନାମ କୌଣସି ପୁରାଣରେ ଲେଖା ନାହିଁ । ସେହି ହାତୀ ପିଲାର ନାମ ନା ସେ ଦୂତ ଜାଣିଥିଲେ ନା କାଳ୍ପନିକ ଚରିତ୍ର ଶୃଷ୍ଟିକାରୀ ଲେଖିବାକୁ ଯୌକ୍ତିକ ମନେ କରିଥିଲେ ।  ଆମେ ଯେଉଁ ଗଣେଶଙ୍କୁ ପୂଜା କରୁଛୁ ଅଯୌକ୍ତିକରେ  ମଧ୍ୟ ଏକ ଅଚିହ୍ନା, ନାମ ନଥିବା ହାତୀକୁ ବର୍ଷ ବର୍ଷ ଧରି ଭୁଲରେ ପୂଜା କରିଆସୁଅଛୁ । ବୈଜ୍ଞାନିକ ବିଚାର ଅନୁଶାରେ ମସ୍ତିଷ୍କର ମୃତ୍ୟୁ ଜୀବର ମୃତ୍ୟୁ ବୋଲି ଧରା ଯାଏ । ତେଣୁ ଗଣେଶଙ୍କ ମୁଣ୍ଡ ଖଣ୍ଡନ ହୋଇଥିବା ଦିନ ହିଁ କାଳ୍ପନିକ ଗଣେଶଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ଆପଣଂକ ବିସ୍ୱାଶକୁ ଆହତ କରିପାରେ କିନ୍ତୁ ନିଜକୁ ତର୍କ ଅନ୍ଧ ଭାବରେ ବଂଚେଇବା ଏବଂ ପର ପିଢ଼ିକୁ ତର୍କ ଅନ୍ଧତ୍ୱ ମାନସିକ ରୋଗରେ ଠେଲିଦେବା ଏକ ମହା ମୁର୍ଖତା ହିଁ ହେବ ।   

                      ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


Post a Comment

0Comments
Post a Comment (0)